ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବିଗ୍ ବାସ୍ ଲିଗ୍ ୨୦୨୫-୨୬ ଆରମ୍ଭ ହେବାକୁ ଯାଉଛି ।  ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା  ଏହି ଲିଗର ଫାଇନାଲ୍ ମ୍ୟାଚ୍‌ ଜାନୁଆରୀ ୨୫ରେ ଖେଳାଯିବ। ପାକିସ୍ତାନୀ ଖେଳାଳି ବାବର ଆଜାମ ମଧ୍ୟ ବିଗ୍ ବାସ ଲିଗ୍ ଖେଳିବାକୁ ଯାଉଛନ୍ତି। ଏହି ଲିଗ୍ ଆରମ୍ଭ ହେବା ପୂର୍ବରୁ ପ୍ରି-ସାଇନିଂ ଡ୍ରାଫ୍ଟ ଅନୁଯାୟୀ, ସିଡନୀ ସିକ୍ସର୍ସ ବାବର ଆଜାମଙ୍କୁ ତାଙ୍କ ଦଳରେ ସାମିଲ କରିଛି । କିନ୍ତୁ ଏହି ଲିଗ୍ ରେ ପ୍ଲାଟିନମ୍ ବର୍ଗରେ ଯିବା ପରେ ମଧ୍ୟ ବାବର ଆଜାମ IPL ରେ ଖେଳୁଥିବା ଅନକ୍ୟାପଡ୍‌ ଖେଳାଳିଙ୍କ ତୁଳନାରେ କମ୍ ଦରମା ପାଇବେ । 

ବିବିଏଲରେ ଖେଳାଳିମାନଙ୍କୁ ଚାରୋଟି ବର୍ଗରେ ବିଭକ୍ତ କରାଯାଏ ଏବଂ ସେମାନଙ୍କ ଦରମା ସେହି ଅନୁସାରେ ସ୍ଥିର କରାଯାଏ। ପ୍ଲାଟିନମ୍ ବର୍ଗର ଖେଳାଳିମାନେ ସର୍ବାଧିକ ଏବଂ ବ୍ରୋଞ୍ଜ ବର୍ଗର ଖେଳାଳିମାନେ ସର୍ବନିମ୍ନ ଦରମା ପାଆନ୍ତି।

ପ୍ଲାଟିନମ୍ – ୪,୨୦,୦୦୦ ଆମେରିକୀୟ ଡଲାର

ଗୋଲ୍ଡ- ୩,୦୦,୦୦୦ ଡଲାର

ସିଲଭର- ୨,୦୦,୦୦୦ ଡଲାର

ବ୍ରୋଞ୍ଜ- ୧,୦୦,୦୦୦ ଡଲାର 

ବାବର ଆଜମଙ୍କୁ ବିବିଏଲରେ ପ୍ଲାଟିନମ୍ ବର୍ଗରେ ଚୁକ୍ତି କରାଯାଇଛି । ତେଣୁ ଏହି ପାକିସ୍ତାନୀ ଖେଳାଳି ଏହି ଲିଗ୍ ଖେଳିବା ପାଇଁ ୪,୨୦,୦୦୦ ଆମେରିକୀୟ ଡଲାର ପାଇବେ। ଭାରତୀୟ ମୁଦ୍ରାରେ ଏହା ୩.୬୮ କୋଟି ଟଙ୍କା ସହିତ ସମାନ।

ସେପଟେ ବାବର ଆଜମଙ୍କ ଫି’ ପଞ୍ଜାବ କିଙ୍ଗସ୍ ଓପନିଂ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କ ଠାରୁ ବି କମ୍‌ । IPL ୨୦୨୫ ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ପ୍ରିୟାଂଶଙ୍କୁ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ୩.୮୦ କୋଟି ଟଙ୍କାରେ କିଣିଥିଲା । ଯାହା ବିବିଏଲରେ ପ୍ଲାଟିନମ୍ ଖେଳାଳିମାନେ ପାଉଥିବା ଦରମାଠାରୁ ଅଧିକ। ଏପର୍ଯ୍ୟନ୍ତ ପ୍ରିୟାଂଶ ଆର୍ଯ୍ୟଙ୍କୁ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିନାହିଁ।